ନୂଆଦିଲ୍ଲୀ,୨୦/୦୧: ଆସନ୍ତା ଫେବ୍ରୁଆରୀ ୧୪  ତାରିଖରେ ଚଣ୍ଡିଗଡରେ ଚାଷୀ ଓ ସରକାରଙ୍କ ମଧ୍ୟରେ ବୈଠକ  ଅନୁଷ୍ଠିତ ହେବ । ବୈଠକରେ ବିଭିନ୍ନ ଚାଷୀ ନେତା, କେନ୍ଦ୍ର  ସରକାର ଓ ପଞ୍ଜାବ ସରକାରଙ୍କ ମନ୍ତ୍ରୀ ସାମିଲ ହେବେ । ଏଥିରେ ଚାଷୀଙ୍କ ମୁଖ୍ୟ ଦାବି ସବୁ ଫସଲର ଏମ୍‌ଏସ୍‌ପିକୁ  ଆଇନଗତ ଗ୍ୟାରେଣ୍ଟି ସମେତ ୧୨ଟି ଦାବି ଉପରେ ଆଲୋଚନା  କରାଯିବ । କେନ୍ଦ୍ର ସରକାର ଆନ୍ଦୋଳନ ଜାରି ରଖିଥିବା ଚାଷୀଙ୍କ  ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି ।

ରବିବାର କେନ୍ଦ୍ର  ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପ୍ରିୟ ରଞ୍ଜନ ହରିୟାଣା-ପଞ୍ଜାବର ଖନୌରୀ ସୀମାରେ ଗତ ନଭେମ୍ବର ୨୬ ତାରିଖରୁ ଆମରଣ ଅନଶନ ଚଳାଇଥିବା ଚାଷୀ  ନେତା ଜଗଜୀତ ସିଂହ ଡଲେୱାଲଙ୍କୁ ଭେଟିଥିଲେ । ଚାଷୀଙ୍କ  ଦାବି ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଥିବା ନେଇ  ଜଣାଇବା ପରେ ଡଲେୱାଲ ମେଡିକାଲ ଚିକିତ୍ସା ନେବାକୁ ରାଜି  ହୋଇଛନ୍ତି । ଫଳରେ ତାଙ୍କ ଦେହ ଗୁରୁତର ହୋଇପଡିଥିବାରୁ ତାଙ୍କୁ ଗ୍ଲୁକୋଜ ଦିଆଯାଇଛି । ସେପଟେ ୭୦ ବର୍ଷୀୟ  ଡଲେୱାଲଙ୍କୁ ସମର୍ଥନ କରି ଅନଶନରେ ବସିଥିବା ୧୨୧ ଜଣ  ଚାଷୀ ରବିବାର ପୁଲିସ ଆଇଜିଙ୍କ ହାତରୁ ଫଳରସ ପିଇବା ପରେ  ଅନଶନ ଭଙ୍ଗ କରିଛନ୍ତି । ତେବେ ଏମ୍‌ଏସ୍‌ପିକୁ ଆଇନଗତ  ଗ୍ୟାରେଣ୍ଟି ନ ମିଳିବା ପର୍ଯ୍ୟନ୍ତ ଅନଶନ ଚାଲୁ ରହିବ ବୋଲି ଚାଷୀ ନେତାମାନେ କହିଛନ୍ତି ।